ସରିଛି ପ୍ରସ୍ତୁତି, ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ

ପୁରୀ, ୨୨/୮: ଅପେକ୍ଷାର ଘଟିଲା ଅନ୍ତ । ଗତ ଚାରି ମାସ ପରେ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।  ସର୍ବସାଧାରଣ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।କୋଭିଡ କଟକଣା ଭିତରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ କିମ୍ବା ଦୁଇଟି ଡୋଜ ଟିକାର ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ଗତ ୧୬ ତାରିଖରୁ ୱାର୍ଡୱାରୀ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ଗତ ୫ଦିନ ଧରି ପୁରୀର ପ୍ରାୟ ୩୨ଟି ୱାର୍ଡର ୫୦ ହଜାରୁ ଅଧିକ ସ୍ଥାନୀୟ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ରହିଛି।