ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ,୧୧/୮: ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ । ଆଜି ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ସାମିଲ ଥିଲେ । ଶପଥ ନେବା ପୂର୍ବରୁ ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ପୀଠକୁ ଯାଇ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏହାପରେ ଦିନ ୧୨ ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ । ସୂଚନାଯୋଗ୍ୟ ଯେ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପାଇଁ ନିର୍ବାଚନ ହୋଇଥିଲା । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡଙ୍କ ବିରୋଧରେ ବିରୋଧୀ ମେଣ୍ଟରୁ ମାର୍ଗରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ଭୋଟ ଗ୍ରହଣରେ ମୋଟ ୭୨୫ ଜଣ ସାଂସଦ ଭୋଟ ଦେଇଥିଲେ । ଏଥି ମଧ୍ୟରୁ ୧୫ ଟି ଭୋଟ ନାକଜ ହୋଇଥିବା ବେଳେ ଜଗଦୀପ ଧନଖଡଙ୍କୁ ୫୨୫ ଓ ମାର୍ଗରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିଲା ।