ଭୁବନେଶ୍ୱର,୨୯/୦୧: ଆଜି ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଏହା ସହିତ ଭାରତୀୟ ସ୍ପେଶ ମିଶନରେ ଆଉ ଏକ ସଫଳ ଉପଲବ୍ଧି ଯୋଡିବାରେ ସମର୍ଥ ହୋଇଛି ଇସ୍ରୋ। ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟାରେ ଏହା ଥିଲା ଶତକୀୟ ଲଞ୍ଚ। ଜିଏସଏଲଭି ରକେଟ ସାହାଯ୍ୟରେ ୨୨୫୦ କିଗ୍ରାର ସାଟେଲାଇଟ ଉତକ୍ଷେପଣ କରାଯାଇଛି।
ଏବେ ପ୍ରାୟ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି GPS ବ୍ୟବହାର କରାଯାଉଛି । ତେବେ ଭାରତ ନିଜସ୍ବ ସ୍ବଦେଶୀ ନାଭିଗେସନ୍ ସିଷ୍ଟମ୍ ‘ନାଭିକ୍’ ପ୍ରତିଷ୍ଠା ପାଇଁ ଯୋଜନା ରଖିଛି । ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ଏନଭିଏସ-୦୨। ବୁଧବାର ଉତକ୍ଷେପଣ ହେବାର ୧୯ ମିନିଟ ମଧ୍ୟରେ ଏହା ଜିଓଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟରେ ପ୍ରବେଶ କରିଥିଲା। ଏହି ସାଟେଲାଇଟ ଜରିଆରେ ପାଣିପାଗ ଓ କମ୍ୟୁନିକେସନ ସମ୍ପର୍କିତ ରିପୋର୍ଟ ସହଜରେ ଉପଲବ୍ଧ ହୋଇପାରିବ।