ଭୁବନେଶ୍ୱର,୫/୧୨: ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ‘ପ୍ରୋବା -୩’ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪ ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ଏହାକୁ ଲଞ୍ଚ୍ କରାଯାଇଛି। ‘ପ୍ରୋବା -୩’ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସିର ସୌର ଅଭିଯାନ, ସୂର୍ଯ୍ୟଙ୍କ କରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ। ଏହା ମହାକାଶକୁ ଯାଇ ଏକ କୃତ୍ରିମ ସୌର ପ୍ରଣାଳୀ ସୃଷ୍ଟି କରିବ। ପ୍ରୋବା-୩ ଅଭିଯାନରେ ୟୁରୋପୀୟ ମହାକାଶ ଏଜେନ୍ସି ନିଜର ଦୁଇଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଉଛି। ଏହି ଦୁଇଟି ଉପଗ୍ରହ ଏକାଠି ଯାଇ ପୃଥିବୀର କକ୍ଷପଥରେ ପହଞ୍ଚିବା ପରେ ପରସ୍ପର ସହ ଯୋଗାଯୋଗ ବଜାୟ ରଖି ସୂର୍ଯ୍ୟର ରହସ୍ୟ ଉପରେ ଗଭୀର ଅଧ୍ୟୟନ କରିବେ।