ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ୬ଟି ଯାକ ଫ୍ରାଞ୍ଚାଇଜ୍ କିଣିଲେ ଆଇପିଏଲ୍ ମାଲିକ

ନୂଆଦିଲ୍ଲୀ,୨୦/୭: ଆସନ୍ତା ବର୍ଷଠାରୁ ଆଇପିଏଲ୍ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଯାଉଛି ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମର ମାଲିକାନା ଆଇପିଏଲ୍ ଦଳର ମାଲିକମାନେ କିଣିଥିବା ସୂଚନା ମିଳିଛି । ଅର୍ଥାତ ଭାରତୀୟ ମାନେ ଏବେ ଆଇପିଏଲ ସହ ବିଦେଶୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଟିମ୍ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ୨୦୨୩ ମସିହାରେ ଏହି ଲିଗ୍ ଖେଳାଯିବାକୁ ଅଛି । ଯାହାକି ଆଇପିଏଲ୍ ଢାଞ୍ଚାରେ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଜୋହାନ୍ସବର୍ଗ ଟିମ୍ କିଣିଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସର ମାଲିକ କେପଟାଉନ୍, ସନରାଇଜର୍ସ ହାଇଦ୍ରାବାଦର ମାଲିକ ପୋର୍ଟ ଏଲିଜାବେଥ, ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ ପ୍ରିଟୋରିଆ, ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ମାଲିକ ଡରବନ ଓ ରାଜସ୍ଥାନ ରୟାଲ୍ସ ଦଳର ମାଲିକ ପାର୍ଲ ଟିମକୁ କିଣିଥିବା ସୂଚନା ମିଳିଛି ।