ଭୁବନେଶ୍ୱର,୦୭/୦୨: ବାରବାଟୀ ୱାନଡେ ପାଇଁ ଆଜି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ ଷ୍ଟାଫ୍ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରୁ ସିଧାସଳଖ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ’ ଫେୟାରକୁ ନିଆଯାଇଛି। ହୋଟେଲ ଆଗରେ ଖେଳାଳିମାନଙ୍କୁ ପାରମ୍ପରିକ ନାଚ ଗୀତ ଓ ଶଙ୍ଖନାଦରେ ଭବ୍ୟ ସ୍ବାଗତ କରାଯାଇଛି ।
ଆଜି ବିଶ୍ରାମ ପରେ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି । କାଲି ପ୍ରଥମେ ଇଂଲଣ୍ଡ ଖେଳାଳି ଅପରାହ୍ନ ଗୋଟାଏରୁ ୪ଟା ଏବଂ ପରେ ଭାରତୀୟ ଖେଳାଳି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ନେଟରେ ଅଭ୍ୟାସ କରିବେ । ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି । ଦୁଇ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସାଲ କରାଯାଇଥିଲା ।
ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲ ଏବଂ ସେଠାରୁ ଷ୍ଟାଡିୟମକୁ କିପରି ନିଆଯିବ, ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ହୋଟେଲ ମେ’ ଫେୟାରରେ ରହିବେ ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳି । ଏଥିପାଇଁ ହୋଟେଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।