ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

ନୂଆଦିଲ୍ଲୀ, ୫/୮: ଗତକାଲି ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୩ଜଣ ଯବାନ ସହିଦ ହୋଇଛନ୍ତି । କିନ୍ତୁ ଗତକାଲି ହୋଇଥିବା ଗୁଳିବିନିମୟରେ ୩ଜଣ ଯବାନ ସହିଦ୍ ହୋଇଥିବା ବେଳେ ଆତଙ୍କବାଦୀମାନେ ତାଙ୍କର ୪ଟି ଏକେ-୪୭ ରାଇଫଲ ଚୋରେଇ ନେଇଛନ୍ତି । ସୂଚନାଯୋଗ୍ୟ ଯେ କୁଲଗ୍ରାମ୍ ଜିଲ୍ଲା ହଲ୍ଲନ ଅଞ୍ଚଳର ଏକ ଉଚ୍ଚା ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ସେନା ଯବାନ ସେହି ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।  ଆତଙ୍କବାଦୀମାନେ ଖବର ପାଇ ସୁରକ୍ଷାକର୍ମୀଙ୍କ ଉପରକୁ  ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ୩ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ୩ଯବାନ ସହିଦ୍ ହୋଇଛନ୍ତି ।