ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦର ଡାକରା

ନୂଆଦିଲ୍ଲୀ,୨୪/୩:ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦର ଡାକରା ଆସିଛି । କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ବନ୍ଦ ରହିବ । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଛି । ଏଣୁ ଏହି ଦୁଇ ଦିନ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ଏହା ସହ ବ୍ୟାଙ୍କ ବନ୍ଦକୁ ନେଇ ସାଧାରଣ ଜନତା ହଇରାଣ ହୋଇପାରନ୍ତି । କାରଣ ଏହି ଦୁଇଦିନ ଅର୍ଥାତ ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ରହିବାର ଡାକରା ଦିଆଯାଇଛି ।ଏଣୁ ମୋଟ ୪ ଦିନ ଛୁଟି ରହିବ ।ଆସନ୍ତା ୨୬ ତାରିଖ ମାସର ୪ର୍ଥ ଶନିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ । ଏହାକୁ ଛାଡିଲେ ୨୭ ତାରିଖରେ ରବିବାର ରହିଛି । ଯାହା ସାଧାରଣ ଭାବେ ବନ୍ଦ ରହିଥାଏ । ଏଣୁ ବ୍ୟାଙ୍କ ସହାୟତାରୁ ଏହି ୪ଦିନ ବଞ୍ଚିତ ରହିବେ ଲୋକେ । ଏହି ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ ଗତ ମଙ୍ଗଳବାରଦିନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ହରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀମାନଙ୍କ ୟୁନିୟନଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ଏଣୁ ଏସବୁ ରାଜ୍ୟରେ ଏହି ଦୁଇଟି ଅତ୍ୟାବଶ୍ୟକ ସେବା ବ୍ୟାହତ ହେବାର ଆଶଙ୍କା ରହିଛି ।