ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ

ନୂଆଦିଲ୍ଲୀ,୧୫/୦୭: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରିମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବାକୁ ଯାଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି।

ତେବେ ସୂଚନା ରହିଛି ଯେ ଫ୍ରାନ୍ସର ବିମାନ କମ୍ପାନି ‘ସାର୍ଫନ’ ଏବଂ ଭାରତର ‘ଡିଫେନ୍ସ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପମେଣ୍ଟ୍‌ ଅରଗାନାଇଜେସନ୍‌ (ଡିଆର୍‌ଡିଓ)’ ଏହି ମିଳିତ ବିକାଶ ପ୍ରକଳ୍ପର ଏକ ରୋଡ୍ ମ୍ୟାପ୍ ଚଳିତବର୍ଷ ଶେଷ ପୂର୍ବରୁ ପ୍ରସ୍ତୁତ କରିବେ।

‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ସହିତ ଆଇଏମ୍‌ଆର୍‌ଏଚ୍‌ କାର୍ଯ୍ୟକ୍ରମ ଅଧୀନରେ ହେଭି-ଲିଫ୍ଟ ହେଲିକପ୍ଟରର ମୋଟରାଇଜେସନ୍ ପାଇଁ ଉଭୟ ଦେଶ ଶିଳ୍ପ ସହଯୋଗକୁ ସମର୍ଥନ ଦେଇଛନ୍ତି। ଆଇଏମ୍‌ଆର୍‌ଏଚ୍‌ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଇଞ୍ଜିନ ବିକାଶ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହଲ୍‌), ଏବଂ ଫ୍ରାନ୍ସର ‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି।