ଟି-୨୦ ବିଶ୍ୱକପ୍ : ଇଂଲଣ୍ଡକୁ ହରାଇ ଫାଇନାଲରେ ପହଁଚିଲା ଭାରତ

ନୂଆଦିଲ୍ଲୀ,୨୮/୦୬: ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ । ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲକୁ ଯିବା ରାସ୍ତା ଭାରତର ସଫା । ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲା ଓ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ୍ କରିଥିଲା । ଅଧିନାୟକ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ୨ଟି ଛକା ଓ ୬ଟି ଚୌକା ଜରିଆରେ ୩୯ ବଲରୁ ୫୭ ରନ୍ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୩୬ ବଲରୁ ୪୭ ରନର ଇନିଙ୍ଗସ୍ ଖେଳିଥିଲେ । ହାର୍ଦିକ ପାଣ୍ଡ୍ୟା ମଧ୍ୟ ଦର୍ଶନୀୟ ସଟ୍ ମାରି ୧୩ ବଲରୁ ୨ଟି ଛକା ଓ ଗୋଟିଏ ଚୌକା ମାଧ୍ୟମରେ ୨୩ ରନ୍ କରିଥିଲେ । ଜାଡ଼େଜା ୧୭ ରନ୍ କରି ନଟ୍ଆଉଟ୍ ରହିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ଇନିଙ୍ଗସ୍ ଆରମ୍ଭ କରିଥିବା ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ସୂଚନାଯୋଗ୍ୟ ଯେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ୨୯ ତାରିଖରେ ଫାଇନାଲ ଖେଳାଯିବ ।