ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫/୦୮: ଦିଲ୍ଲୀରୁ ପଲ୍ଲୀ ଆଜି ସମସ୍ତେ ପାଳୁଛନ୍ତି ୭୮ତମ ସ୍ୱାଧୀନତା ଦିବସ। ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ୧୧ଥର ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସର ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣ । ଏହା ସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଛରେ ପକାଇଛନ୍ତି । ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୦ ଥର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ତେବେ ୧୭ ଥର ଓ ୧୬ ଥର ପତାକା ଉତ୍ତୋଳନ କରିଥିବା ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପଛରେ ମୋଦୀ ରହିଛନ୍ତି । ଚଳିତବର୍ଷ ସ୍ୱାଧୀନତା ଦିବସର ଥିମ୍ ରହିଛି ବିକଶିତ ଭାରତ@୨୦୪୭। ଅର୍ଥାତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ରଖିଛନ୍ତି ସରକାର।