ଚାକିରୀରୁ ବିଦା ହେଲେ ଆଇ.ଏ.ଏସ୍ ଅଫିସର ବିନୋଦ କୁମାର

ଭୁବନେଶ୍ୱର: ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବିଦା ହୋଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି କରୁଥିବା ଅଭିଯୋଗ ଆସିଥିଲା । ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।

ଉଲ୍ଲେଖି ଯୋଗ୍ୟ ଯେ ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ୱାରା ରାଜ୍ୟ ସରକାରଙ୍କର ବହୁ ପରିମାଣରେ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ବିନୋଦ କୁମାରଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍‌ ଦାୟର କରିଥିଲେ । ସେଥିମଧ୍ୟରୁ ଦୁଇଟି କେସରେ ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।