ସମ୍ମାନଜନକ ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩ରେ ସ୍ଥାନ ପାଇଲେ ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ

ଭୁବନେଶ୍ୱର,୧୪/୧୦: ଏକମାତ୍ର ଓଡ଼ିଆ ଭାବରେ ସମ୍ମାନଜନକ ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିଳ୍ପପତି  ତାରା ରଞ୍ଜନ ପଟ୍ଟନାୟକ। ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀ ମାନଙ୍କ ସଫଳତାକୁ ନେଇ ପ୍ରତିବର୍ଷ ଏକ ବାର୍ଷିକ ରିପୋର୍ଟ ପ୍ରକାଶ ପାଇଥାଏ। ଯେଉଁଥିରେ ସ୍ଥାନ ପାଉଥିବା ବ୍ୟକ୍ତି ଓ କମ୍ପାନୀ ମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ଓ ଲାଭକୁ ଦୃଷ୍ଟିରେ ରଖି ବଛା ଯାଇଥାଏ। ଚଳିତ ବର୍ଷ ପତ୍ରିକାର ଧନୀ ତାଲିକାରେ ସ୍ଥାନ ପାଇଥିବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଭିତରେ ବିଶିଷ୍ଟ ଶିଳ୍ପପତି  ମୁକେଶ ଅମ୍ବାନୀ,  ଗୌତମ ଆଦାନୀ, ମିଷ୍ଟର ସାଇରସ୍ ପୁନାୱାଲା, ଶିଭ୍ ନାଦାର ଓ  ଗୋପୀଚାନ୍ଦ ହିନ୍ଦୁଜା ଅଛନ୍ତି।

ନିଜ ବ୍ୟବସାୟ ପ୍ରତି ନିଷ୍ଠାପରତା ଏବଂ କମ୍ପାନୀର କାରବାର ବୃଦ୍ଧି ଦିଗରେ ତାଙ୍କର ନୀତିନିଷ୍ଠ ଚିନ୍ତାଧାରା ଯୋଗୁ ଏଥର ପୁଣିଥରେ ଶିଳ୍ପପତି  ତାରା ରଞ୍ଜନ ପଟ୍ଟନାୟକ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କମ୍ପାନୀର ସାମଗ୍ରିକ କାରବାର ଓ ଲାଭାଂଶକୁ ଟିକିନିକି ତର୍ଜମା କରିବା ପରେ ୫ ବର୍ଷ ଭିତରେ ୭୬ ପ୍ରତିଶତ ପ୍ରଗତି ହୋଇପାରିଥିବା ହୁରୁନ୍ ସୂଚନା ଦେଇଛି।