ପୁରୁଷ ହକି ବିଶ୍ୱକପ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର,୧୯/୧୨: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ଅଫଲାଇନ୍ ଟିକେଟ ବିକ୍ରି ଆଜିଠୁ ଆରମ୍ଭ ହେବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଟିକେଟ କିଣିବା ପାଇଁ ହିକି ପ୍ରେମୀଙ୍କ ଭିଡ ଦେଖାଦେଇଛି । ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ସମ୍ମୁଖ ରିଜର୍ଭ ପୁଲିସ ଲାଇନ୍ ପଡିଆ ଏବଂ ରାଉରକେଲା ମ୍ୟାଚଗୁଡିକ ପାଇଁ ବୀର୍ସା ମୁଣ୍ଡା ଷ୍ଟାଡିୟମର ୬ ନମ୍ବର ଓ ୨ ନମ୍ବର ଗେଟ କାଉଂଟରରେ ଟିକେଟ ବିକ୍ରି ହେଉଛି । ସକାଳ ୧୧ ଟାରୁ ସଂନ୍ଧ୍ୟା ୭ଟା ଯାଏ କାଉଁଟର ଖୋଲା ରହିବ । ତେବେ ପୂର୍ବରୁ ଅନଲାଇଟ୍ ଟିକେଟ କାଟିଥିବା କ୍ରୀଡାପ୍ରେମୀମାନେ ଉକ୍ତ ଟିକେଟ କାଉଣ୍ଟରରୁ ଆବଶ୍ୟକୀୟ ପ୍ରମାଣ ପତ୍ର ଦେଖାଇ ଟିକେଟ ନେବାର ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟ ଯେ ଭାରତ ଖେଳୁଥିବା ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୫୦୦, ୪୦୦, ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ହେଲେ ଅନ୍ୟ ମ୍ୟାଚଗୁଡିକ ପାଇଁ ଟିକେଟର ମୂଲ୍ୟ ୨୦୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି ହୋଇଥିବା ବେଳେ ନବନିର୍ମିତ ବୀର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦଶର୍କ ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଛି । ଏହି ମୋଟ ୧୬ଟି ଦଳକୁ ନେଇ ଅନୁଷ୍ଠିତ ଏହି ବିଶ୍ୱକପରେ ମୋଟ ୪୪ ଟି ମ୍ୟାଚ ଖେଳାଯିବ ।