ନୂଆଦିଲ୍ଲୀ,୫/୦୧: ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ଭାଇରସ୍ । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଛି । କୌଣସି ବିପଦ ସମ୍ପର୍କରେ ଅବଗତ ହେବାପାଇଁ ଅଧିକାରୀ ମାନେ ଲଗାତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅପଡେଟ୍ ଆକଳନ କରୁଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବାକୁ ‘ହୁ’କୁ ଅନୁରୋଧ କରାଯାଇଛି । ଭାରତରେ ବର୍ତ୍ତମାନ ପର୍ୟ୍ୟନ୍ତ ଶ୍ବାସକ୍ରିୟାଜନିତ ସଂକ୍ରମଣ ବୃଦ୍ଧି ହୋଇନାହିଁ କି ଉକ୍ତ ମାମଲାରେ ହସ୍ପିଟାଲରେ ରୋଗୀକ ସଂଖ୍ୟା ମଧ୍ୟ ବଢିନାହିଁ। ଏଚଏମପିଭି ଭଳି ଭାଇରସ୍ ପୂର୍ବରୁ ମଧ୍ୟ ଦେଶରେ ବ୍ୟାପୀସାରିଛି । ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।