ରାଜ୍ୟରେ ହିଟୱେଭ୍ : ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କଲେ ଏସଆରସି

ଭୁବନେଶ୍ୱର,୧୨/୪: ରାଜ୍ୟରେ ଏବେ ୪୦ଡିଗ୍ରୀ ଟପିଲାଣି ତାପମାତ୍ରା। ଏହାରିମଧ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି ।

ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରାଯିବ । ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ ସହ ଅଂଶୁଘାତ ୱାର୍ଡ ଖୋଲାଯିବ । ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି । ଏହା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି ଏସଆରସି ।