ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲା

ଭୁବନେଶ୍ୱର,୧୩/୦୯: ମହାନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୨ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରୁ ଗୋଟିଏ ଲେଖାଏଁ ଗେଟ୍‌ ଖୋଲାଯାଇଥିବା ନେଇ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୩ ଫୁଟ୍‌ ଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୭୩,୩୦୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଅପରପକ୍ଷେ ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୫,୧୮୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୩୦,୮୩୦ କ୍ୟୁସେକ୍ ଓ ୨ଟି ଗେଟ୍‌ ଦେଇ ଜଳ ମହାନଦୀରେ ଛଡ଼ାଯାଇଛି।ମହାନଦୀର ବେଲଗାଓଁଠାରେ ୧୫,୨୦୦ କ୍ୟୁସେକ୍‌, ପର୍ଥଲାଠାରେ ୪୭,୬୭୨ କ୍ୟୁସେକ୍, ଖଇରମାଲରେ ୬୨,୦୦୦ କ୍ୟୁସେକ୍, ବରମୂଳଠାରେ ୭୧,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀଠାରେ ୮୦,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।