ଭୁବନେଶ୍ୱର,୮/୧୧: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ, ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଟଙ୍କା ପ୍ରଦାନ କରାଯିବ । ଏହାସହ ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ଅଗ୍ରୀମ ଅର୍ଥ ଦେବେ ସରକାର । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ । ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ, ବିଡିଏ କିମ୍ବା ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ, ଏଥିସହ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ହାଉସ ପ୍ଲାନ୍ ଦାଖଲ କରିବାକୁ ହେବ ।