ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୬/୯: ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଏହା ପ୍ରଭାବରେ ଆଜିଠାରୁ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ମୁଖ୍ୟତଃ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ଅନ୍ୟପଟେ ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ୬ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଏବଂ ପୁରୀ ।ଦକ୍ଷିଣ ଓଡିଶାରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦କିଲୋମିଟର ରହିପାରେ । ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।