ଘନୀଭୂତ ହେବାରେ ଲାଗିଛି ଲଘୁଚାପ, ରାଜ୍ୟରେ ଏହି ସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା !

ଭୁବନେଶ୍ୱର, ୧୨/୯ : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । କିନ୍ତୁ ଆଜି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଆସନ୍ତାକାଲି ଉପକୂଳଠାରୁ ଆଭ୍ୟନ୍ତରୀଣ ଅଂଚଳରେ ବେଶି ବର୍ଷା ହେବ ।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ଭିତରେ ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୪ ଯାଏ ବର୍ଷା ହେବ । ତେବେ ଆସନ୍ତା ଦୁଇଦିନ ବର୍ଷା ପ୍ରକୋପ ବେଶି ରହିବ । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏହାଛଡା ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ।

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ତେଣୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନ ଯିବା ପାଇଁ ସତର୍କ କରାଯାଇଛି । ୧୨ରୁ ୧୪ ତାରିଖ ସମୁଦ୍ର ଅଧିକ ଅଶାନ୍ତ ରହିବ । ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।