ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୬/୧୦ : ରାଜ୍ୟରୁ ଅଧା ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । କିନ୍ତୁ ଅନ୍ୟପଟେ ବଙ୍ଗୋପସାରରେ ଏବେ ବି ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଆଜିଠୁ ବର୍ଷାର ପରିମାଣ ବଢ଼ିବା ନେଇ ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏଥିସହ ୧୪ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ୧୮ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୯ ଓ ୨୦ ତାରିଖରେ ବହୁ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି ।