ଆସନ୍ତା ୧୩ରେ ଲଘୁଚାପ, ବଢିବ ବର୍ଷା !

ଭୁବନେଶ୍ୱର, ୧୨/୧୦: ରାଜ୍ୟରେ ଏବେ ବି ସ୍ଥାନେ ସ୍ଥାନେ ବର୍ଷା ହେଉଛି । କିନ୍ତୁ ରାଜ୍ୟର ଅଧା ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରି ସାରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅନୁଗୁଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରିଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ଯାହାର ପ୍ରଭାବରେ ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ । ଏହାପରେ ୧୫ ତାରିଖ ବେଳକୁ ଗଭୀର ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।