ସେପ୍ଟେମ୍ବରରେ ଭଲ ବର୍ଷା ହେବା ନେଇ ଆଶଙ୍କା

ଭୁବନେଶ୍ୱର, ୩/୯:ଗତ କିଛି ଦିନ ତଳେ ମୌସୁମୀ ଦୁର୍ବଳ ହେବାରେ ଲାଗିଥିଲା। ଏବେ ଲଘୁଚାପ କାରଣରୁ ମୌସୁମୀ ସକ୍ରିୟ ହେବାରେ ଲାଗିଛି । ତେଣୁ ସେପ୍ଟେମ୍ବରରେ ଭଲ ବର୍ଷା ଆଣିବ ମୌସୁମୀ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି । ଅନ୍ୟପକ୍ଷେ ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆସନ୍ତା ୬ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ଏହି ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ ଓ ୬ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସେପ୍ଟେମ୍ବର ୬ ତାରିଖ ରାତିରୁ ୭ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତା ୪ରୁ ୬ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସେହିପରି ୧୧ ତାରିଖବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆକଳନ କରାଯାଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୧୧ରୁ ପ୍ରବଳ ବର୍ଷା ହୋଇପାରେ ।