ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୭/୮: ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ । ସେହିପରି ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଧା ଓ କଟକ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, କଳାହାଣ୍ଡି, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି ।