ଆସନ୍ତା ମେ’ ମାସରେ ପୁଣି ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର,୨୯/୪: ରାଜ୍ୟରେ ଆସନ୍ତା ମେ’ ମାସରେ ଅନୁଭୂତ ହେବ ଭୀଷଣ ତାତି । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ । ଉତ୍ତର ପଶ୍ଚିମ ଓ ପୂର୍ବ ଭାରତର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଉତର ଭାଗ , ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଉତ୍ତର ଭାଗରେ ଗ୍ରୀଷ୍ମଲହରୀ ଅନୁଭୂତ ହେବ । ହେଲେ ମେ’ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ । ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ହୋଇପାରେ ।