ଆଜି ଓ ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ସିଭିୟର ହିଟୱେଭ ନେଇ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧/୦୫: ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଗତକାଲି ବିଶ୍ୱର ୧୦ ଉତପ୍ତ ସହର ତାଲିକାରେ ଓଡିଶାର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର ସ୍ଥାନ ପାଇଛି । ସେପଟେ ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଦେଇଛି ପାଣିପାଗ ବିଭାଗ । ଆଜିଠୁ ଆହୁରି ୨ ଦିନ ସିଭିୟର ହିଟୱେଭ ବା ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ , ଯାଜପୁର, କଟକ ଓ ବୌଦ୍ଧ । ଏହି ୧୧ ଜିଲ୍ଲାରେ ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିପରି ରାଜ୍ୟର ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ ଅଲର୍ଟର ସତର୍କତା ଥିବା ବେଳେ ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ମେ ୫ ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।