କରୋନା ପରେ ଚିନ୍ତା ବଢ଼ାଇଲା H9N2 ଭାଇରସ, ସତର୍କ ହେଲା ଭାରତ

ନୂଆଦିଲ୍ଲୀ,୨୭/୧୧: କରୋନା ପରେ ଏବେ ଆଉ ଏକ ଭାଇରସ ବଢ଼ାଇଲାଣି ଚିନ୍ତା ।ଏହା ମଧ୍ୟ ଚୀନରୁ ଆରମ୍ଭ ହୋଇଛି । ଚୀନରେ ନିମୋନିଆ ଦ୍ରୁତ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଶିଶୁମାନେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ବେଜିଂ ଓ ଏହାର ଆଖ ପାଖ ସହରରେ ପ୍ରାୟ ସବୁ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ରୋଗୀ ଏହି ରହସ୍ୟମୟ ନିମୋନିଆରେ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି । ସେପଟେ ଚାଇନାରେ ବଢୁଥିବା ଅଜଣା ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବେଜିଂକୁ ରିପୋର୍ଟ ମାଗିଥିଲେ ବି, ଚୀନ ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନାହିଁ । ଏଥିସହ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଚୀନ ସରକାର ମଧ୍ୟ ଏନେଇ କୌଣସି ସୂଚନା ପ୍ରଦାନ କରୁନାହିଁ । ତେଣୁ ଏହି ଅଜଣା ରୋଗର ଖବର ମିଳିବା କ୍ଷଣି ସତର୍କ ହୋଇ ଯାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ଗୁଡିକୁ ଆଲର୍ଟ ରହିବାକୁ କହିଛନ୍ତି । ତେବେ ଏହି ଅଜଣା ନିମୋନିଆ ଭାରତରେ ବ୍ୟାପିବାର ସମ୍ଭାବନା କମ୍ ରହିଛି । କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ସୂଚାଇ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।