କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ,୨୬/୮: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଆଉ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । କାରଣ କଂଗ୍ରେସ ସରକାର ସମୟରେ କେନ୍ଦ୍ର ମନ୍ତ୍ରୀ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଥିଲେ ଆଜାଦ । ତେବେ କୁହାଯାଉଛି ଯେ ବେଶ କିଛି ମାସ ହେବ ସେ କଂଗ୍ରେସର ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ । ଆଉ ଆଜି ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ନିକଟରେ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଗତବର୍ଷ ଆଜାଦ କହିଥିଲେ ଯେ ତାଙ୍କୁ ଲାଗୁନାହିଁ ଯେ ୨୦୨୪ରେ କଂଗ୍ରେସ ୩୦୦ଟି ଆସନ ଜିତିବ । ଭଗବାନ କରନ୍ତୁ ୨୦୨୪ ରେ କଂଗ୍ରେସ ୩୦୦ଟି ଆସନରେ ଜିତୁ, କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମତେ ତ ତାହା ଲାଗୁନାହିଁ’ ବୋଲି କହିଥିଲେ।