ଭୁବନେଶ୍ୱର,୩୦/୧୨: ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ନୂଆବର୍ଷ । ଆଉ ଏ ନୂଆ ବର୍ଷ ଟା ଆସିଲେ ପୁଣି ସେ ପିଲା ବେଳର କଥା ମନେ ପଡ଼ିଯାଏ । ପୁଣି ଇଚ୍ଛା ହୁଏ ସେ ପିଲା ବେଳକୁ ଫେରିଯିବାକୁ । କାରଣ ଆଜି ବାଟରେ ଗଲା ବେଳେ ଗୋଟେ ଗ୍ରୀଟିଙ୍ଗ୍ସ କାର୍ଡ ଦୋକାନ ଦେଖିଲି। ପିଲାବେଳେ ନବବର୍ଷ ପୂର୍ବରୁ କିଣା ହେଉଥିଲା ମନ ପସନ୍ଦର ଗ୍ରୀଟିଙ୍ଗ୍ସ କାର୍ଡ । ପ୍ଲେନ୍ , ଫୋଲ୍ଡିଙ୍ଗ୍ , ହିରୋ-ହିରୋଇନ୍ ଓ ଭଗବାନ ଥିବା କାର୍ଡ । ଆଉ ସେ କାର୍ଡରେ ସାଙ୍ଗମାନଙ୍କ ପାଇଁ କୌତୁକିଆ ଢଗଢମାଳି ଲେଖାଯାଉଥିଲା । ସେଥିରେ ପୁଣି ବେଷ୍ଟ୍ ଫ୍ରେଣ୍ଡ୍ ପାଖକୁ ଯିବ ସବୁଠୁ ଭଲ ସୁନ୍ଦର ଦିଶୁଥିବା କାର୍ଡ , ବଳକା ହାଏବାଏ ଫ୍ରେଣ୍ଡ୍ ପାଇବେ ଅଲଗା କାର୍ଡ । ସେବେକାର ସେ ଢଗଢମାଳି , ଆଉ ଆଜିର ଲକ୍ଷେ ଟଙ୍କିଆ ଫୋନର ଗୋଟିଏ ହାପି ନ୍ୟୁ ଇୟର୍ ମେସେଜ୍ କଣ ସେଇ ପରି ଖୁସି ଦେଇପାରିବ। ଆଜିର ବ୍ୟସ୍ତବହୁଳ ଧାଁ ଦଉଡ଼ ସମୟରେ କ୍ୟାରିୟର୍ ଗଢିବା , ଟଙ୍କା ରୋଜଗାର କରିବା ଚକ୍କରରେ ଆମେ ଆମ ପିଲାଳିଆମିକୁ ମାରି ସାରିଲେଣି। ସମସ୍ତେ ସମସ୍ତଙ୍କ ଜୀବନରେ ବ୍ୟସ୍ତ ଏତେ ଯେ ଫୋନ୍ କରିବାକୁ ସମୟ ନାହିଁ , ଆଉ ଗ୍ରୀଟିଙ୍ଗ୍ସ କାର୍ଡ କୁ ପଚାରେ କିଏ ?
ଗୋଟେ କାର୍ଡ କିଣିବାକୁ ପିଲାବେଳେ ପାଖରେ ଟଙ୍କା ନଥିଲା । କିନ୍ତୁ ଏବେ ପାଖରେ ଟଙ୍କା ଅଛି, ଗ୍ରୀଟିଙ୍ଗ୍ସ କାର୍ଡ ବି ପାଇଯିବା କିନ୍ତୁ କାର୍ଡ ଲେଖିବା ପାଇଁ ଆମ ପାଖରେ ସମୟ ନାହିଁ ।ବାଡିଆପିଟା ହୋଇ କିଣୁଥିବା କାର୍ଡ ଏବେ ମାଗଣାରେ ଦେଲେ ବି ଉପଯୁକ୍ତ ସ୍ଥାନରେ ପହଞ୍ଚିବ କି ନାହିଁ ସନ୍ଦେହ । ପ୍ରତିବର୍ଷ ନୂଆବର୍ଷ ଆସେ ଆଉ ମୋବାଇଲରେ ହାପି ନ୍ୟୁ ଇୟର୍ ମେସେଜ୍ ସହ ବର୍ଷର ଶୁଭକାମନା ବି ଶେଷ ହୁଏ । ମେସେଜ୍ ଡିଲିଟ୍ ହୋଇଯିବ , କିନ୍ତୁ ଗ୍ରୀଟିଙ୍ଗ୍ସ କାର୍ଡ .. କେତେବେଳେ କେଉଁ ବହି ଖୋଲୁ ଖୋଲୁ ହାତଲେଖା କାର୍ଡଟି ଆଗକୁ ଆସିଗଲେ ସେ କୌତୁକିଆ ଢଗ ପଢୁ ପଢୁ ମୁହଁରେ ଯେଉଁ ହସ ଖେଳିବ ତାକୁ କ’ଣ ମେସେଜ୍ ପଢିଲେ ମିଳିବ? ଆଗକୁ ୨୦୨୫ ଆସୁଛି ଯଦି ସେଇ ପିଲାବେଳକୁ ଫେରିବାକୁ ଚାହୁଁଛନ୍ତି ତାହେଲେ ଗ୍ରୀଟିଙ୍ଗ୍ସ କାର୍ଡ ଖୋଜିବା ଆରମ୍ଭ କରନ୍ତୁ । ଆଉ ସେଇ ପୁରୁଣା ଢଗଢମାଳିକୁ କାର୍ଡ ଉପରେ ଛାପି ସାଙ୍ଗ ପାଖକୁ ଯାଇ କାର୍ଡଟିକୁ ବଢାଇ ଦିଅନ୍ତୁ ।