ପୁଣି ଥରେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି

ଦିଲ୍ଲୀ,୧୯/୫ : ପୁଣି ଥରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ କମର୍ସିଆଲ LPG ସିଲିଣ୍ଡର ଦାମ୍ ୮ ଟଙ୍କା ବଢ଼ିଲା । ମାସକ ମଧ୍ୟରେ ୨ ଥର ବଢ଼ିଲାଣି ଘରୋଇ ଏଲପିଜି ସିଲିଣ୍ଡର ଦାମ୍ । କେବଳ ଘରୋଇ ନୁହେଁ ତା’ ସହ କମର୍ସିଆଲ ଗ୍ୟାସ୍‌ ଦରରେ ମଧ୍ୟ ବୃଦ୍ଧି ହୋଇଛି। ସୂଚନାନୁଯାୟୀ , ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ପରେ ସମଗ୍ର ଦେଶରେ ଏବେ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ହଜାରେ ପାର୍‌ କରି ଯାଇଛି। ଦିଲ୍ଲୀରେ ସିଲିଣ୍ଡର ପିଛା ଗ୍ରାହକଙ୍କୁ ୧୦୦୩ ଟଙ୍କା ଦେବାକୁ ପଡ଼ିବ । ସେହିପରି କୋଲକତାରେ ୧୦୨୯, ଚେନ୍ନାଇରେ ସିଲିଣ୍ଡର ପିଛା ୧୦୧୮ ଦେବାକୁ ପଡ଼ିବ । ସେହିପରି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହେବା ପରେ ଏବେ ଦିଲ୍ଲୀରେ ସିଲିଣ୍ଡର ପିଛା ୨୩୫୪ ଟଙ୍କା, କୋଳକତାରେ ୨୪୫୪, ମୁମ୍ବାଇରେ ୨୩୦୬ ଓ ଚେନ୍ନାଇରେ ୨୫୦୭ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଥିଲା।