ଭାବବିହ୍ୱଳ ହେଲେ ଭକ୍ତ , ୪ ମାସ ପରେ ଆଜିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ

ଭୁବନେଶ୍ୱର, ୨୩/୮: ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ଏବେ ଟିକେ ସଂକ୍ରମଣ କମିବାରୁ ମନ୍ଦିର ଖୋଲାଯାଇଛି ।ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ପର୍ଯ୍ୟାୟ କ୍ରମେ ଦର୍ଶନ ଜାରି ରହିଛି । ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ୪ ମାସ ପରେ ଆଜିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ କରିପାରିବେ ଭକ୍ତ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ୨ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଜରୁରୀ ରହିଛି । ନଚେତ RT-PCR ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି । ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ଉପରେ କଟକଣା ଲାଗୁ ହୋଇଥିବା ବେଳେ ମନ୍ଦିର ଭିତରକୁ ଫୁଲ, ତୁଳସୀ, ଭୋଗ, ଦୀପ ନେବା ଅନୁମତି ନାହିଁ । ଶ୍ରୀନଅରଠାରୁ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଭକ୍ତମାନେ ଯିବେ । ଶୃଙ୍ଖଳିତ ଦର୍ଶନ ପାଇଁ ୮ ପ୍ଲାଟୁନ ଫୋର୍ସ ଓ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।