ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡ଼ି ହେବା ସମ୍ଭାବନା!

ଭୁବନେଶ୍ବର,୨୦/୧ : ଏବେ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ଦିନ ମଧ୍ୟ ଏମିତି ସ୍ଥିତି ଜାରି ରହିବ। କିନ୍ତୁ ଗୁରୁଚାପ ପ୍ରଭାବରେ ଆସନ୍ତାକାଲିକୁ ମିଶାଇ ୨ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କୋରାପୁଟଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଥିଲା। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲା‌ରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏଣୁ ଏହି ୧୧ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୨୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ।