କେମିତି ପାଳିବେ ଦୀପାବଳି, ଆଉ କେଉଁ ବାଣ ଫୁଟାଇବେ ଜାଣନ୍ତୁ ?

ଭୁବନେଶ୍ୱର,୧୧/୧୧: ଧୀରେ ଧୀରେ ଭୁବନେଶ୍ବରରେ ବି ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ ଦୀପାବଳିରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ତେଣୁ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏନେଇ ଖବରକାଗଜରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି। ବାରିୟମ ଓ ନିଷିଦ୍ଧ ରସାୟନ ମଧ୍ୟ ଆତସବାଜିରେ ବ୍ୟବହାର ନିଷିଦ୍ଧ ହୋଇଛି। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଥିବା ବେଳେ ୧୨୫ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି। ଏହାଛଡ଼ା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ଖୋଲାସ୍ଥାନରେ ସବୁଜ ବାଣ ଫୁଟାଇପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।