ନୂଆଦିଲ୍ଲୀ,୧୩/୦୧: ଅତି ଭୟଙ୍କର ହେବାରେ ଲାଗିଛି ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ । ଏଥିରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ନିଆଁ ଏପରି ବଢ଼ିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ରେ ପରିଣତ ହୋଇଛି । ଏବଂ ଏହା ଏବେ ଆହୁରି ବ୍ୟାପିବାକୁ ଯାଉଛି ଯାହା ଚିନ୍ତାର ବିଷୟ ପାଲଟିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । କାନାଡା ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପେଲିସାଡେସର ଆଉ ୧୦୦୦ ଏକର ଜମିକୁ ବ୍ୟାପିଯାଇଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି । ସାରା ସହରକୁ ଗ୍ରାସିଛି ଜଙ୍ଗଲ ନିଆଁ । ୧୨ ହଜାର କୋଠା ଜଳି ପୋଡି ପାଉଁଶ ହୋଇଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବନ୍ୟଜନ୍ତୁ । ଜୀବନବିକଳରେ ଏଣେ ତେଣେ ଧାଉଁଛନ୍ତି ଜଙ୍ଗଲୀ ଜନ୍ତୁ । ସମୁଦ୍ର କୂଳରୁ ୧୦୦ କିମିରୁ ଅଧିକ ବେଗରେ ପବନ ବହୁଥିବାରୁ ନିଆଁ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ହଲିଉଡ ହିଲରେ ୫ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଛାରଖାର ହୋଇଛି ।