ହୋଟେଲରେ ଅଗ୍ନିକାଣ୍ଡ, ୨ମୃତ ଓ ୭ଆହତ

ନୂଆଦିଲ୍ଲୀ,୫/୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଥିବା ଲେବାନା ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ହଜରତଗଞ୍ଜ ଅଞ୍ଚଳରେ ଥିବା ଏହି ହୋଟେଲରେ ଆଜି ସକାଳ ୬ ଟା ୩୦ ରେ ଅଗ୍ନିକାଣ୍ଡ ଘଟିଛି । ହୋଟେଲରେ ନିଆଁ ଲାଗିବା କାରଣରୁ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ଜୀବନ ଯାଇଛି । ହୋଟେଲ ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ଏବେ ମଧ୍ୟ ୫ ଜଣ ଫସି ରହିଛନ୍ତି । ସେହିପରି ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୭ ଜଣ ଆହତ ହୋଇ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଦ୍ଧାର କାଯ୍ୟରେ ୩ଟି ଅଗ୍ନିଶମ ବାହିନୀର ଗାଡି ସହ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ରହିଛି । ହୋଟେଲର କାଚ ଭାଙ୍ଗି ରୁମ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଜରୁରୀକାଳୀନ ଉଦ୍ଧାରକାରୀ ଦଳ । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଛି ବୋଲି କହିଛି ଅଗ୍ନିଶମ ବିଭାଗ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବା ସହ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । ସେହିପରି ଘଟଣାରେ ତଦନ୍ତ ପାଇଁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।