ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର,୬/୨: ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ ପାଇବା ଲାଗି ଲୋକଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ବିର୍ସା ମୁଣ୍ଡା ଷ୍ଟାଡିୟମର ଗେଟ୍ ନଂ ୨ ଓ ଗେଟ୍ ନଂ ୬ରେ ଦୁଇଟି ପୃଥକ୍ କାଉଣ୍ଟରରେ ଟିକେଟ ବିକ୍ରିର ବ୍ୟବସ୍ଥା ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୭ଟା ଯାଏ ଟିକେଟ୍ ବିକ୍ରି ହେଉଛି। ତେବେ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବ ଥିବାରୁ ଉକ୍ତ ଦିନ ଅପରାହ୍ନ ୪ଟାରୁ ୭ଟା ଯାଏ ଟିକେଟ୍ ଉପଲବ୍ଧ ହେବ। ଏହାସହ ପ୍ରଶଂସକମାନେ ଅନଲାଇନରେ କିଣିଥିବା ଟିକେଟ୍ ମଧ୍ୟ ଏଠାରୁ ନେଇପାରିବେ।
ସୂଚନାଯୋଗ୍ୟ ଯେ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପ୍ରତିଯୋଗିତା ପାଇଁ ଗତ ୨୭ ତାରିଖରେ ଅନଲାଇନ ଟିକେଟ ବିକ୍ରି କରାଯାଇଥିଲା। ମାତ୍ର କେଇ ମିନିଟପରେ ଅନଲାଇନ୍ ବିକ୍ରି ପ୍ରକ୍ରିୟାରେ ଯାବତୀୟ ତ୍ରୁଟି ଦେଖିବାକୁ ମିଳିବାରୁ ବହୁ ହକିପ୍ରେମୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ।