ବିରୋଧୀଙ୍କ ହଟଗୋଳ ସତ୍ତ୍ୱେ ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ୍

ନୂଆଦିଲ୍ଲୀ, ୨୯/୧୦: ଲୋକସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ନେଇ ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି । କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ବିଲ ଉପରେ ଆଲୋଚନା ଦାବି କରିଥିଲେ । ହେଲେ ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ହୋହଲ୍ଲା କରିଥିଲେ ବିରୋଧୀ । ସଂସଦର ଉଭୟ ଗୃହରେ ଶୀତକାଳିନ ଅଧିବେସନ ଆରମ୍ଭ ହୋଇଛି । ଅଧିବେସନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ଡିସେମ୍ବର ୨୩ ଯାଏଁ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର ।