ଏଲନ ମସ୍କଙ୍କ ହାତରେ ଟୁଇଟର ଭବିଷ୍ୟତ

ନୂଆଦିଲ୍ଲୀ,୨୮/୧୦:  ଟେସ୍‌ଲାର ସିଇଓ ଏଲନ ମସ୍କଙ୍କ ହାତରେ ଏବେ ଟ୍ୱିଟରର ମାଲିକାନା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏ‍ବେ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏଲନ ମସ୍କ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର CEOପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ହେଲେ ସ୍ପାମ ଏବଂ ଫେକ ଆକାଉଣ୍ଟକୁ ନେଇ ସେ ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ ଶେଷ ମୁହୂର୍ତ୍ତରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣି ନେଇଛନ୍ତି। ତେବେ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲ ବହିଷ୍କୃତ ହେବା ପରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ କର୍ମଚାରୀ କମ୍ପାନୀ ଛାଡ଼ିବା ଆରମ୍ଭ କରିଛନ୍ତି।