ଇଲେକ୍ଟାରାଲ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ,୧୫/୦୩: ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ଆଜି ନିର୍ବାଚନ କମିସନ ତାଙ୍କ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟରେ ରଖିଛନ୍ତି। ଏକ ଲକ୍ଷ, ୧୦ ଲକ୍ଷ ଏବଂ କୋଟିଏ ଟଙ୍କିଆ ନିର୍ବାଚନୀ ବଣ୍ଡ୍‌ ବିକ୍ରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍। କେଉଁ ସଂସ୍ଥା କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ଏବଂ କେଉଁ ଦଳ ଏହି ବଣ୍ଡ୍ ଗ୍ରହଣ କରିଛନ୍ତି ତାହା ଏହି ତାଲିକାରେ ଉଲ୍ଲେଖ ରହିଛି। କିନ୍ତୁ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ୍ ଦେଇଛନ୍ତି ସଂପର୍କରେ ଏଥିରେ‌ କୌଣସି ସୂଚନା ଦିଆଯାଇ ନାହିଁ। ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଥିବା ସମୟର ୨୪ ଘଣ୍ଟା ପୂର୍ବରୁ କମିସନ ଏହି ତଥ୍ୟ ତାରଙ୍କ ୱେବସାଇଟ୍‌ରେ ଅପଲୋଡ୍ କରିଛନ୍ତି। ଏଥିପାଇଁ ଲିଙ୍କ୍‌ https://www.eci.gov.in/candidate-politicalparty ପ୍ରଦାନ କରାଯାଇଛି। ଦୁଇଟି ଭାଗରେ ମୋଟ୍‌ ୭୬୩ ପୃଷ୍ଠାରେ ଏହି ତଥ୍ୟ ପ୍ରକାଶ କରାଯାଇଛି। ପ୍ରଥମ ଭାଗରେ କେଉଁ ବ୍ୟକ୍ତି ଓ ସଂସ୍ଥା କେତେ ତାରିଖରେ କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ତାହାର ସୂଚନା ଦିଆଯାଇଛି। ୩୩୭ ପୃଷ୍ଠା ବିଶିଷ୍ଟ ଏହି ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୧୧ ପର୍ୟ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ୍‌ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ସେହିଭଳି ଦ୍ବିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏଥିରେ କେଉଁ ଦଳ ବଣ୍ଡ ଜମା କରି କେତେ ଟଙ୍କା ଉଠାଇଛନ୍ତି ତାହା ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ପର୍ୟ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସଂପର୍କରେ ଏହି ଦ୍ବିତୀୟ ଭାଗ ରିପୋର୍ଟରେ ଦର୍ଶାଯାଇଛି।