ଭୁବନେଶ୍ୱର,୨୫/୦୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରତି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ବି କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥ୍ ମାନଙ୍କରେ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି । ସୂଚନା ମୁତାବକ, କଟକ ସଦର କଳପଡା ବୁଥ୍ ନମ୍ବର ୮୧, ଢେଙ୍କାନାଳ ସୀମାଳିଆ ବୁଥ୍ ନମ୍ବର ୧୫୭ ବୁଥରେ ସମସ୍ୟା ଦେଖାଦେଇଛି । ସେହିପରି ଆନ୍ଦପୁର ହାଟଡିହି ବୁଥ୍ ନମ୍ବର ୧୩୯ ଓ ଦେବଗଡ ବୁଥ୍ ନମ୍ବର ୧୮, ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ମଧ୍ୟ ଇଭିଏମ ମେସିନ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି । ସେହିପରି ଅନୁଗୁଳ ୩୫ ନମ୍ବର ବୁଥ୍, କେନ୍ଦୁଝର ବଡପଦନା ବୁଥ୍ ନମ୍ବର ୨୭୪ , ଏବଂ କୃଷ୍ଣପ୍ରସାଦ ବ୍ଲକ ମାଲୁଦର ବୁଥ୍ ନମ୍ବର ୧୩ ରେ ମଧ୍ୟ ଇଭିଏମ୍ ମେସିନରେ ତ୍ରୁଟି ଦେଖାଦେଇଛି । ଫଳରେ ଏଠାରେ ମତଦାନରେ ପାଖାପାଖି ୫୦ ମିନିଟ ବିଳମ୍ବ ହୋଇଛି ।