ଆସନ୍ତା ୨୭ ତାରିଖରୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର, ୨୬/୮: ଆସନ୍ତା ୨୭ ତାରିଖରୁ କଟକ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍‌ସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍‌ ରହିବ । ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ୍‌ ହେବ । ଇକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆସରିଛି । ଏନେଇ ଏସ୍‌ସିବି ମେଡିକାଲରେ ସମୀକ୍ଷା କରାଯାଇଥିଲା ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଡିଏମ୍‌ଇଟି କହିଛନ୍ତି ଯେ, ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ନହୋଇପାରେ । ଯଦି ଭାଇରସ୍‌ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ । ଯଦି ରୂପ ନବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ ବୋଲି ସେ କହିଛନ୍ତି ।