SCB ମେଡିକାଲରେ ଇକ୍‌ମୋ ସେବା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭/୮: କଟକ SCB ମେଡିକାଲରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଇକ୍‌ମୋ ସେବା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଇକମୋ ମେସିନକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ଏହା ସବୁଠାରୁ ବଡ଼ ୟୁନିଟ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି । ଇକମୋ ଚିକିତ୍ସା ଅଧିକ ବ୍ୟୟବହୁଳ ହେଲେ ମଧ୍ୟ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେବେ । କରୋନାର ଦ୍ବିତୀୟ ଲହର ବହୁ କଷ୍ଟଦାୟକ ଥିଲା । ଏବେ ଲକ୍‌ଡାଉନ କୋହଳ ହୋଇଛି କିନ୍ତୁ ବିପଦ ଯାଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ତୃତୀୟ ଲହରର ପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ଓ ପିଲାମାନେ ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

୯ଟି ଇକମୋ ମେସିନ୍ ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ ।  ଇକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆସରିଛି ।