ପ୍ରଶାନ୍ତ ମହାସାଗରରେ ଭୂମିକମ୍ପ, ଥରିଲା ପାନାମା

ନୂଆଦିଲ୍ଲୀ,୫/୪: ପାନାମା ଉପକୂଳ ଅନ୍ତର୍ଗତ ପ୍ରଶାନ୍ତ ମହାସାଗରରେ ଭୂମିକମ୍ପ ହୋଇଛି । ଦି ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ ରିପୋର୍ଟ ଅନୁସାରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା । ଏଥିରେ କେହି ମୃତାହତ ହୋଇଥିବା କିମ୍ବା କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । କିନ୍ତୁ ବଡ଼ ବଡ଼ ଅଟ୍ଟାଳିକା ମାନଙ୍କରେ ରହୁଥିବା ଲୋକେ ଅତି ଭୟରେ ଥିବା ଜଣାପଡିଛି । ଭୂଗର୍ଭର ୧୨ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ‌ଏହି ଭୂକମ୍ପନ ଅପେକ୍ଷାକୃତ ଅଗଭୀର ଥିବା କଥା ଆମେରିକୀୟ ଏଜେନ୍‌ସି ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ’ ସୂଚନା ଦେଇଛି।ସୂଚନାଯୋଗ୍ୟ ଯେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ବୋକା ଚିକାର ଦକ୍ଷିଣ ଦିଗକୁ ପ୍ରାୟ ୪୪ କିଲୋମିଟର୍‌ ଦୂରବର୍ତ୍ତୀ ଅଞ୍ଚଳ। ଏହା ପ୍ରଭାବରେ ରାଜଧାନୀ ପାନାମା ନଗରୀ ସମେତ ପାନାମାର ଅଧିକାଂଶ ପ୍ରାନ୍ତ ଦୋହଲି ଯାଇଥିଲା। ଏହାସହ ନିକଟସ୍ଥ କୋଇବା ଦ୍ବୀପରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଥିବା କଥା ପାନାମାର ‘ସିଭିଲ୍‌ ଡିଫେନ୍‌ସ୍ ଅଫିସ୍‌’ ସୂଚନା ଦେଇଛି।