ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ମୁହଁ ଖୋଲିଲେ ଦୂତୀ, କହିଲେ ମତେ କ୍ୟାନସର..

ଭୁବନେଶ୍ୱର,୧୯/୦୮: ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ । ଏହାପରେ ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କୁ କ୍ୟାନସର ହୋଇଛି । ତାଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଦୂତି ଚାନ୍ଦ । କ୍ୟାନସର ହୋଇଥିବା ଜାଣିବା ପରେ ପ୍ରଥମରୁ ହିଁ ଦୂତୀଙ୍କର ଚିକିତ୍ସା ହୋଇଥିଲା । ତେବେ କର୍କଟ ରୋଗ କୌଣସି ଟିସୁଙ୍କୁ ବ୍ୟାପିନଥିବା କହିଛନ୍ତି ଦୂତୀ । ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ଖେଳ ଛାଡିଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କିଛି ଔଷଧ ଖାଇବା ପରେ ଯନ୍ତ୍ରଣା କମ ହୋଇଥିଲା । ନିୟମିତ ଚିକିତ୍ସା ପରେ ରୋଗରୁ ଉପଶମ ମିଳିଥିବା କହିଛନ୍ତି ଦୂତୀ । ଏହାପରେ ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତୀ ।

ଏହାସହ ବାସନ୍ଦକୁ ନେଇ ଦୂତୀ କହିଛନ୍ତି, ଏଥିପାଇଁ ମୁଁ ବହୁତ ଦୁଃଖିତ । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।