ଦୁର୍ଗାପୂଜା ଶେଷ, ଆଜି ମେଲାଣି ନେବେ ମା’

ଭୁବନେଶ୍ୱର, ୧୬/୧୦ : କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ପୂଜା କରାଯାଇଥିଲା। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଇଥିଲେ ମା’ ଜଗତ ଜନନୀ। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ହେବାପରେ ପରେ ଆଜି ମା’ଙ୍କୁ ମେଲାଣି ଦିଆଯିବ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା ପାଇଁ ବାଜାବାଣ, ପ୍ରସେସନ କୁ ଅନୁମତି ମିଳିନାହିଁ । ତେଣୁ ନିରାଡମ୍ବର ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି। ଭୁବନେଶ୍ୱରରେ ଭସାଣ ପାଇଁ ୫ଟି ଅସ୍ଥାୟୀ ପୋଖରୀ ହୋଇଥିବା ବେଳେ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି କଟକରେ ମେଢ ବିସର୍ଜନ ପାଇଁ ୬ ଟି ସ୍ଥାନ ଚିହ୍ନଟ କରାଯାଇଛି। ପର୍ଯ୍ୟାୟ କ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।