ଆଉ ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩/୭: ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା । ଆଉ ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଭବ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ରାଇସିନା ହିଲ୍ ବି ଦ୍ରୌପଦୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖର ଶପଥ ଗ୍ରହଣ ସମାରୋହରେ ଦ୍ରୌପଦୀଙ୍କ ଭାଇ ଓ ଭାଉଜ, ମୟୂରଭଞ୍ଜର ୬ ବିଧାୟକ ଏବଂ କିଛି ବିଜେପି ନେତା ସାମିଲ ହେବେ।

ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେବେ। ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ସ୍ୱାଗତ କରିବା ପାଇଁ ପୂରା ପ୍ରସ୍ତୁତ ରାଇସିନା ହିଲ୍ । ସଂସଦ ଭବନର ବିଶାଳ ସେଣ୍ଟ୍ରାଲ୍ ହଲ୍‌ରେ ଶପଥ ଗ୍ରହଣ ପରେ, ତାହା ହିଁ ହେବ ଦ୍ରୌପଦୀଙ୍କ ବାସଭବନ ।