ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି, କହିଲେ ବ୍ୟବସାୟୀଙ୍କ ନୌଯାତ୍ରାକୁ ପ୍ରତୀକାତ୍ମକ ଭାବେ ସ୍ମୃତିଚାରଣ କରିବା ପ୍ରଶଂସନୀୟ

ଭୁବନେଶ୍ୱର,୨୭/୧୧: ଆଜି ପାରାଦୀପଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ସେ ଏକ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତିବର୍ଷ ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ମନେ ପକାଇବା ଏବଂ ଅତୀତରେ ଜାଭା, ସୁମାତ୍ରା, ବାଲି ଇତ୍ୟାଦି ଦ୍ୱୀପକୁ ଓଡ଼ିଶାର ବ୍ୟବସାୟୀଙ୍କ ନୌଯାତ୍ରାକୁ ପ୍ରତୀକାତ୍ମକ ଭାବେ ସ୍ମୃତିଚାରଣ କରିବା ପ୍ରଶଂସନୀୟ। ବାଲିଯାତ୍ରା ଏହାର ଗୌରବମୟ ଅତୀତ ସ୍ମୃତିରେ ପାଳନ କରାଯାଉଥିବା ଏକ ଅନନ୍ୟ ପର୍ବ । ପ୍ରାଚୀନ କାଳରୁ ପାଳିତ ହେଉଥିବା ଏହି ପର୍ବ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ସମୃଦ୍ଧିର ପ୍ରତୀକ। ଏହା ଓଡ଼ିଶାବାସୀଙ୍କ ସମୃଦ୍ଧ ସାଂସ୍କୃତିକ ଚେତନାକୁ ମଧ୍ୟ ଦର୍ଶାଇଥାଏ।