ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କଲେ ଆଇଏଏସ କ୍ରିଷନ କୁମାର

ଭୁବନେଶ୍ୱର,୨୦/୫:  ବିପଦ ସମୟରେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପ୍ରକୃତ ମାନବିକତା ବୋଲି କୁହାଯାଉଥିବା ବେଳେ ଏହା କରି ଦେଖାଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. କ୍ରିଷନ କୁମାର । ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ନେଇ ଆଜି ଡା. କୁମାର ପୁରୀ ଯାଇଥିଲେ । ସେଠାରୁ ସେ ଫେରୁଥିବା ସମୟରେ ଉତ୍ତରା ନିକଟସ୍ଥ କୌଶଲ୍ୟାଗଙ୍ଗ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ମୁର୍ମୁଷ ଅବସ୍ଥାରେ ପଡି ରହିଥିଲେ । ଲକଡାଉନ ଜାରି ଥିବାରୁ କୌଣସି ସହାୟତାକୁ ଅପେକ୍ଷା ନକରି ମୁଖ୍ୟ ପ୍ରଶାସକ ନିଜ ଗାଡ଼ିରେ ଉକ୍ତ ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ଓ ନିଜେ ଉପସ୍ଥିତ ରହି ଚିକିତ୍ସାର ବନ୍ଦୋବସ୍ତ କରାଇଥିଲେ । ଆହତ ବ୍ୟକ୍ତିଙ୍କ ନାମ ରତ୍ନାକର ପ୍ରଧାନ (୩୮) ବୋଲି ଜଣାପଡିଛି ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି କାର୍ଯ୍ୟ ମାନବିକତାର ପରିଚାୟକ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ଡା.କ୍ରିଷନ କୁମାର ଡାକ୍ତରୀ ଶିକ୍ଷା ସାରିବା ପରେ ଆଇଏଏସ ଅଧିକାରୀ ଭାବେ କାର୍ଯ୍ୟରତ । ସେ ପୂର୍ତ୍ତ ବିଭାଗର ଶାସନ ସଚିବ ରହିଥିବା ବେଳେ ଇଡ଼କୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।