ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୨୧/୦୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ବିଚାରପତି ଜନ୍‌ ରବର୍ଟସ୍‌ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ। ପ୍ରବଳ ଥଣ୍ଡା ଯୋଗୁ ସଂସଦ ଭବନରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ନେବା ପରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଅଭିନନ୍ଦନ । ପୁଣି ଥରେ ମିଳିତ ଭାବରେ କାର୍ୟ୍ୟ କରିବା ସହ ଏକ ଭଲ ଭବିଷ୍ୟତ ଗଠନ କରିବାକୁ ଅପେକ୍ଷା କରିଛି ବୋଲି ଲେଖିଛନ୍ତି ମୋଦି । ତେବେ ଭାରତର ପ୍ରତିନିଧିତ୍ବ କରୁଥିବା ଏସ୍‌.ଜୟଶଙ୍କରଙ୍କ ହାତରେ ମୋଦି ଏକ ସ୍ବତନ୍ତ୍ର ଚିଠି ପଠାଇଛନ୍ତି । ସେହିପରି ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ନୂଆ ସରକାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଇସ୍ରାଏଲ, କାନାଡା, ବ୍ରିଟେନ ରାଷ୍ଠ୍ରନେତା ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *