୨୫ ଲକ୍ଷ ଦୀପରେ ଝଲସିଉଠିଛି ଅଯୋଧ୍ୟାରେ ରାମ ମନ୍ଦିର, ସୃଷ୍ଟି କଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩୧/୧୦: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ବୁଧବାର ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ। ପୂରା ଅଯୋଧ୍ୟା ୨୫ ଲକ୍ଷ ଦୀପରେ ଝଲସିଉଠିଛି । ଏକକାଳୀନ ଏତେ ସଂଖ୍ୟକ ଦୀପ ଜଳିବା ଗୋଟିଏ ବିଶ୍ୱ ରେକର୍ଡ କରିଛି । ବାସ୍ତବରେ ଆୟୋଜକମାନେ ୨୫ ଲକ୍ଷ ଦୀପ ଜାଳିବାକୁ ଯୋଜନା କରିଥିଲେ। କିନ୍ତୁ ସରଜୁ ନଦୀ କୂଳରେ ଅତିରିକ୍ତ ୩ ଲକ୍ଷ ଦୀପ ଲୋକମାନେ ଜାଳି ପୂରା ପରିବେଶକୁ ଆହୁରି ଭବ୍ୟ କରିଛନ୍ତି। ଦୀପ ଜଳିବା ପରେ ପୂରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା। ଏପରି ଦୀପୋତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ, ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି। ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ।